କୁଳାଙ୍ଗାର ପୁତ୍ର (କ୍ଷୁଦ୍ରଗଳ୍ପ)


.ଲେଖକନରୋତ୍ତମା ପାତ୍ର.........................................
       ନାସିଗାଁ ,କଳାହାଣ୍ଡି  ଓଡିଶା


       ଶ୍ରାବଣ ମାସର ଝିପି ଝିପି ବର୍ଷା। ଏ ବର୍ଷାକୁ ଖାତିର ନକରି ମୁଣ୍ଡ ରେ ଟୋକେଇ ଟିଏ ବୋହି ପନିପରିବା ବିକ୍ରି କରି ବୁଲୁଛି ସତୁରୀ ବର୍ଷର ବୁଢ଼ୀ ମରୁଆ। ଏହା ତାହାର ନିତି ଦିନିଆ କାମ। ଖରା, ବର୍ଷା, 
ଶୀତ, କାକରକୁ ଭୃକ୍ଷେପ ନକରି ସବୁଦିନ ତାର ଏ କାମରେ ଲାଗିଥାଏ ସିଏ। 
        ସକାଳୁ ତା ମାଲିକ ବସନ୍ତ ବାବୁଙ୍କ ଘରକୁ ଯାଇ, ତାଙ୍କ ଘର କାମ ତକ ସାରିଦେଇ, ଘରକୁ ଫେରିଆସି ଘରେ ରଖିଥିବା ବାସି ପଖାଳ ମୁଠାକ ଖାଇ ପୂର୍ବାହ୍ନ ୧୦ଘଣ୍ଟାରୁ ପନିପରିବା ଟୋକେଇ ଧରି ବାହାରି ପଡ଼େ ବୁଢ଼ୀଟି ଘରକୁ ଘର ବୁଲି ବିକ୍ରି କରିବା ପାଇଁ।ଉଦ୍ଦେଶ୍ୟ ହେଉଛି, ସହରରେ ହଷ୍ଟେଲରେ ରହି କଲେଜରେ ପାଠ ପଢୁଥିବା, ତାର ଏକ ମାତ୍ର ଗଣ୍ଠିଧନ ଗଗନର ପାଠ ପଢ଼ା ଖର୍ଚ୍ଚ ତୁଲେଇବା ପାଇଁ। କେବଳ ମାଲିକ ଘରେ କାମ କଲେ, ତାର ପେଟ ସିନା ପୁରିବ। କିନ୍ତୁ ପୁଅର ପଢ଼ା ଖର୍ଚ୍ଚ ର ବୋଝ ସେ ଉଠେଇ ପାରିବ କେମିତି ?ତେଣୁ ଅବଶିଷ୍ଟ ସମୟ ତକ ସେ ବରବାଦ୍ ନକରି, ଏ ବୁଢ଼ୀ ବୟସରେ ମଧ୍ୟ ପନିପରିବା ବିକ୍ରି କରି ପୁଅର ପଢ଼ା ଖର୍ଚ୍ଚ ପାଇଁ କିଛି ଟଙ୍କା ସଞ୍ଚୟ କରେ। 
            ଯେତେବେଳେ ପୁତ୍ର ଗଗନକୁ ପ୍ରାୟ ପାଞ୍ଚ ବର୍ଷ ହୋଇଥାଏ, ତା ବାପା ରୋଗରେ ପଡ଼ି ପୁତ୍ର ଓ ପତ୍ନୀ କୁ ଛାଡି ଚାଲିଗଲେ ଆର ପାରିକୁ। ମୃତ୍ୟୁ ସମୟରେ କହି ଯାଇଥିଲେ, "ମରୁଆ, ମୁଁ ମୋର ପୁଅର ଭବିଷ୍ୟତ ଗଢ଼ିବା ପୂର୍ବରୁ ତୁମ ଦୁହିଙ୍କୁ ଛାଡ଼ି ଚାଲି ଯାଉଛି। ତୋତେ
ପୁଅକୁ ଲାଗିଲା। ତୁ ଯେମିତି ହେଉ ତାକୁ ପାଠ ପଢ଼େଇ ବଡ଼ ଲୋକଟିଏ କରିବୁ। ମୋ ପରି ଦିନ ମଜୁରିଆ ସେ ଯେପରି ନହୁଏ। ଏହି ସ୍ୱପ୍ନ ଦେଖି ମୁଁ ଖଟୁଥିଲି,ପୁଅକୁ ମଣିଷ କରିବା ପାଇଁ। ତୁ ତାକୁ ବାସ୍ତବ ରୂପ ଦେବୁ।"

          ସେ ଦିନୁ ସ୍ୱାମୀ ର କଥାକୁ ଗଣ୍ଠି ପକାଇ ଗଗନ
କୁ ବଡ଼ଲୋକ କରିବା ପାଇଁ, ପର ଘରେ କାମ କରିବା ସହିତ, ସାହି ପଡ଼ିଶାରେ ପନିପରିବା ବିକ୍ରି କରି ତାର ଗୁଜୁରାଣ ମେଣ୍ଟାଇବା ସହିତ ପୁଅ ଗଗନର ପଢ଼ା ଖର୍ଚ୍ଚ ବହନ କରି ଆସୁଛି। 

          ଅତି ସରଳ, ଶାନ୍ତ ଓ ପରଉପକାରୀ ମହିଳାଟି
ମରୁଆ। ତେଣୁ ତାର ମାଲିକ ବସନ୍ତ ବାବୁଙ୍କ ସହିତ ସାହି ପଡ଼ିଶାର ସମସ୍ତେ ତାହାକୁ ଖୁବ୍ ଭଲ ପାଆନ୍ତି। ସମସ୍ତ ଙ୍କ ଦୁଃଖରେ ସେ ଯାଇ ହାଜର୍ ହୁଏ। ଯଥାଶକ୍ତି ତାର ଦୁଃଖ ଲାଘବ କରିବା ପାଇଁ ଚେଷ୍ଟା କରିଥାଏ। ଫଳ ସ୍ୱରୂପ ତା ପୁଅ କେମିତି ପାଠ ପଢି ମଣିଷ ହେବ, ପରୋକ୍ଷ ଭାବେ ପଡ଼ିଶାର ସମସ୍ତ ଲୋକେ ତାକୁ ସହାଯ୍ୟ କରିଥାନ୍ତି। ତାର ପନିପରିବା ସେମାନେ ହିଁ କିଣି ନେଇଥାନ୍ତି। ତାକୁ ବହୁ କଷ୍ଟ କରି ଦୂରକୁ ବିକ୍ରି ପାଇଁ ଯିବାକୁ ପଡ଼େ ନାହିଁ। ବୁଢ଼ୀ କେମିତି ଦୁଇ ପଇସା ପାଉ, ସେଥିପାଇଁ କୌଣସି ମୂଲଚାଲ ନକରି, ପନିପରିବା କିଣି ନିଅନ୍ତି ସମସ୍ତେ ।ତାର ବିପଦ ଆପଦରେ ମଧ୍ୟ ସାହାଯ୍ୟ, ସହଯୋଗ କରନ୍ତି। ସେ ପଡ଼ିଶାର ସମସ୍ତ ଙ୍କ ମରୁଆ ମାଉସୀ ପାଲଟି ଯାଇଥାଏ। 

          ବୁଢ଼ୀର ମାଲିକ, ମାଲିକାଣୀ ମଧ୍ୟ ସେମିତି। ତା ସ୍ୱାମୀ ର ମୃତ୍ୟୁ ପରଠାରୁ ସେ ବସନ୍ତ ବାବୁଙ୍କ ଘରେ କାମ କରି ଆସୁଛି। ତାର କଥାବାର୍ତ୍ତା, ଚାଲିଚଲଣୀ ଓ କାମକୁ ଖୁବ୍ ପ୍ରଶଂସା କରନ୍ତି ଦୁହେଁ। ଦରକାର ବେଳେ ତାକୁ ସବୁ ପ୍ରକାର ସାହାଯ୍ୟ କରିଥାନ୍ତି। ମରୁଆକୁ କିଛି ମାଗିବାକୁ ପଡ଼େ ନାହିଁ। ତା ମନର କଥା ବୁଝି, ତାକୁ ସେମାନେ ପଚାରି ଜବରଦସ୍ତି ସାହାଯ୍ୟ କରିଥାନ୍ତି। ତେଣୁ ତା ମାଲିକ, ମାଲିକାଣୀ ଙ୍କୁ ମରୁଆ ଖୁବ୍ ଭଲ ପାଏ ଓ ସବୁଆଡ଼େ ତାଙ୍କ ଗୁଣ ଗାନ କରି ବୁଲୁଥାଏ।

         ସମୟ ଗଡ଼ି ଚାଲିଥାଏ। କାଳକ୍ରମେ ତା ପୁଅ ଗଗନ ପାଠ ପଢ଼ା ସାରି, ହାକିମ ଟିଏ ହେଲା। ପୁଅର ଚାକିରୀ କଥା ଶୁଣି ବୁଢ଼ୀ ର ଛାତି କୁଣ୍ଡେମୋଟ୍ ହେଇଗଲା। ସାଇ ପଡିଶାର ସମସ୍ତ ଙ୍କୁ ସଞ୍ଚିଥିବା ଟଙ୍କା ରୁ କିଛି ମିଠା ଆଣି ଖୁଆଇଲା। ସାଇ ପଡିଶାର ସମସ୍ତେ ତଥା ତାର ମାଲିକ ଘରେ ବହୁତ ଖୁସି ହେଲେ, ତା ପୁଅର କୃତିତ୍ବ ରେ। ଯାହାହେଉ ବୁଢ଼ୀ ର ପରିଶ୍ରମ ସାର୍ଥକ ହୋଇଛି। ଏଥର ତାର ଦୁଃଖ କଷ୍ଟ ଚାଲିଯିବ। ଶେଷ ସମୟରେ ପୁଅ, ବୋହୁ ପାଖରେ ରହି ଆରାମରେ ତାର ଆଗାମୀ ଦିନ କଟିଯିବ। 

             ହାକିମ ହେଲାପରେ ଦିନେ ଗ୍ରାମକୁ ଆସିଥିଲା ଗଗନ। ତାର ଚାଲି ଚଲଣୀ, ଆଚାର, ବ୍ୟବହାର ସବୁ ପୂର୍ବ ଭଳି ନଥିଲା। କଥା କଥାରେ ତାର ବାହାଦୁରି ଓ ବଡପଣ ବାରି ହେଉଥିଲା। କିନ୍ତୁ ସେ ଜାଣେ ନା ଯେ, ତାର ଏହି ବଡ଼ଲୋକ ହେବାରେ, ତାର ସାହି ପଡ଼ିଶା, ମାଲିକ, ମାଲିକାଣୀ ସମସ୍ତ ଙ୍କ ହାତ ଅଛି। ଗ୍ରାମ ରେ ଦୁଇ ଦିନ ରହିବା ଭିତରେ ସେ ବାବୁଗିରି ଦୃଷ୍ଟିରୁ କାହା ସହିତ ଭଲ ଭାବରେ ମିଶାମିଶି କଲା ନାହିଁ। ଫେରି ଗଲାବେଳେ କେବଳ ମରୁଆକୁ କହିକରି ଗଲା," କିଛି ଦିନ ଭିତରେ ଆସି ତୋତେ ସହରକୁ ସାଥୀରେ ନେଇଯିବି।" 
          ମାସ ମାସ ଯାଇ ବର୍ଷ କଟିଗଲା। ଗଗନର ଦେଖା ଦର୍ଶନ ନାହିଁ କି, ମାଆର କଥା ମଧ୍ୟ ମନେ ପକାଇଲା ନାହିଁ। ଟଙ୍କା ପଇସା ପଠାଇବା ତ ଦୂରେ ଥାଉ। ତଥାପି ବୁଢୀ ର ମନଦୁଃଖ ନଥାଏ। ପୂର୍ବ ପରି ମାଲିକ ଘରେ କାମ କରି ତାର ଗୁଜୁରାଣ ମେଣ୍ଟାଉଥାଏ।ବୟସ ଅଧିକ କାରଣରୁ ପନିପରିବା ବିକ୍ରି ବନ୍ଦ କରି ଦେଇଥାଏ।ପୁଣି ପୁଅର ପଢ଼ା ଖର୍ଚ୍ଚ ରୁ ସେ ମୁକ୍ତ ହୋଇ ସାରିଛି।ମନେ ମନେ ଭାବୁଥାଏ ବୁଢ଼ୀ, ଏଥର ଗଗନ ଆସୁ, ତାକୁ ହାତକୁ ଦିହାତ କରିଦେଲେ ସେ ଠିକ୍ ରାସ୍ତାକୁ ଚାଲି ଆସିବ। କିନ୍ତୁ କେବେ ଆସିବ ସିଏ। ତାର ଯେ ଦେଖା ଦର୍ଶନ କି ଖବର କିଛି ନାହିଁ। ଯେଉଁ ମାଆ ପାଇଁ ଆଜି ସେ ଏତେ ବଡ଼ ହାକିମ, ସେହି ଗର୍ଭଧାରିଣୀ ମାଆକୁ ସେ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲା। 

           ଛୁଟି ନେଇ ଦିନେ ଗାଁ କୁ ଆସିଥିଲେ ନଟବର ବାବୁ। ଯେଉଁ ସହରରେ ଗଗନ ହାକିମ ଅଛି, ସେହି ସହରରେ ସେ ରାଜସ୍ୱ ବିଭାଗର ଜଣେ କିରାଣି ଅଟନ୍ତି। ସେ ମରୁଆ ମାଉସୀଙ୍କ ଘରକୁ ବୁଲିବାକୁ ଆସିଲେ। ତାଙ୍କୁ ଦେଖି ପଡ଼ିଶାର ସମସ୍ତେ ଆସି ଠୁଳ ହେଇଗଲେ। କାରଣ ନଟବର ବାବୁ ଗଗନ ବିଷୟରେ ସବୁ କଥା ଜାଣିଥିବେ। 

       ମରୁଆ ପଚାରିଲା, "ପୁଅ, ତୁ ତ ସେହି ସହରରେ ରହୁଛୁ, ଗଗନର କଥାତ ନିଶ୍ଚିତ ଜାଣିଥିବୁ। ସେ ଗଲା ଯେ ମୋ ପାଖକୁ ଆସିଲା ନାହିଁ କି, ମୋ ସହିତ କୌଣସି ସମ୍ପର୍କ ରଖିଲା ନାହିଁ। କଥା କଣ କି ପୁଅ, ତାର କଣ ଅସୁବିଧା ହୋଇଛିକି ?"

            ନଟବର ବାବୁ କହିଲେ, "ସେ ଏଡ଼େ ବଡ଼ ହାକିମ, ତାର ଅସୁବିଧା କଣ ହେବ ମାଉସୀ ?କଥା ହେଉଛି, ସେ ଏକ ବଡ଼ ଲୋକ ଘର ଝିଅ କୁ ବାହା ହୋଇ, ତାରି ବଙ୍ଗଳାରେ ରହୁଛି। ଝିଅ ଟି ଆଧୁନିକା। ତାର ବେଶ ପୋଷାକ କଥା ନ କହିବା ଭଲ। ଗଗନକୁ ସେ ସମ୍ପୂର୍ଣ୍ଣ ମେଣ୍ଢା ବନେଇ ରଖିଛି। ସେ ଉଠ୍ କହିଲେ ଉଠୁଛି, ବସ୍ କହିଲେ ବସୁଛି। ତାର ମନୁଷତ୍ୱ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି। ଏପରି ସ୍ଥିତିରେ ତୋ ଭଳିଆ ମଳି ମୁଣ୍ଡିଆ ମାଆକୁ ତା ପାଖକୁ ନେଲେ, ତାର ପ୍ରେଷ୍ଟିଜ୍ ଉପରେ ଆଞ୍ଚ୍ ଆସିବନି ?ସେ ପରା ହାକିମ ପୁଣି ଏଡ଼େ ବଡ଼ ଘର ଜ୍ୱାଇଁ। ତୋର ସ୍ଥାନ କାହିଁ ସେଠାରେ। ତା ପାଇଁ ତୋର ଯେଉଁ ତ୍ୟାଗ ସବୁ ବ୍ୟର୍ଥ ହୋଇ ଯାଇଛି ମାଉସୀ। ତୁ ଭୁଲି ଯା ଯେ,ତୋର ଏକ ପୁଅ ଅଛି ବୋଲି।"

        ସମସ୍ତେ ଅବାକ୍ ହୋଇ ନଟବରଙ୍କ କଥା ଶୁଣୁଥିଲେ। ଯେଉଁ ମାଆ ପୁଅକୁ ପାଠ ପଢାଇବାକୁ ,ଏତେ ପରିଶ୍ରମ କରି ଜୀବନକୁ ବାଜୀ ଲଗେଇ ଦେଇଥିଲା, ସେ ପୁଅ ହାକିମ ହେଲାପରେ ନିଜ ଗର୍ଭ ଧାରିଣୀ ମାଆକୁ ଧୋକା ଦେଲା ?ଛି ଛି, ଏହାଠାରୁ ବଳି ନୃଶଂସ ଆଉ କିଏ ଅଛି।"ସମସ୍ତ ଙ୍କ ମୁହଁ ରେ ଗଗନ ପ୍ରତି ଘୃଣାର ସ୍ପଷ୍ଟ ଛାପ ଦେଖା ଯାଉଥିଲା। ବୁଢ଼ୀ ପାଇଁ ସମସ୍ତେ ଦୁଃଖ ପ୍ରକଟ କରୁଥିଲେ।

          ନଟବର ବାବୁଙ୍କ କଥା ଶୁଣି, ମରୁଆ ମାଉସୀ ଅବାକ୍ ନେତ୍ର ରେ ଚାହିଁ ରହିଥିଲା ନଟବରଙ୍କୁ। ତାର ବାକ୍ ଶକ୍ତି ଲୋପ ପାଇ ଯାଇଥିଲା,ପୁତ୍ରର ଏ କାର୍ଯ୍ୟ କଳାପ ଶୁଣି। ତାର ପୁଅ ତାକୁ ଏମିତି ଧୋକା ଦେବ, ତା ଜୀବନରେ କଳ୍ପନା ମଧ୍ୟ କରି ନଥିଲା। ନା ବାହାରୁ ଥିଲା ତା ପାଟିରୁ କିଛି କଥା ନା ଆଖିରୁ କିଛି ଲୁହ। ତା ମୁଣ୍ଡ ଚକ୍କର ଖାଇଗଲା। ସେ ଢୁ କରି ତଳେ କଚାଡ଼ି ହୋଇ ପଡ଼ିଗଲା। ଉପସ୍ଥିତ ସମସ୍ତେ ତାକୁ ଧରାଧରି କରି ମେଡ଼ିକାଲ ନେଲେ। କିନ୍ତୁ ବିଚାରୀ ମରୁଆ ମାଉସୀର ପ୍ରାଣ, ଅତ୍ୟଧିକ ଦୁଃଖକୁ ସମ୍ଭାଳି ନପାରି ଆର ପାରିକୁ ଚାଲି ଯାଇଥିଲା। ତାର ଶବକୁ ଫେରାଇ ଆଣିଲେ ଗ୍ରାମକୁ।

        ନଟବର ବାବୁ ଫୋନ୍ କରି ଗଗନକୁ ଜଣେଇ ଦେଲେ, ତା ମାଆର ମୃତ୍ୟୁ ଘଟଣା ଓ ଆସି ମୁଖାଗ୍ନି ଦେବାକୁ କହିଲେ।କିନ୍ତୁ ତାର ଆସିବା ବିଳମ୍ବ ଦେଖି  ସନ୍ଦେହ କରି ଲୋକେ ବୁଢୀର ଶବକୁ ଶ୍ମଶାନ କୁ ନେଇ ଚିତା ସଜାଡ଼ିଲେ। ହଠାତ୍ ଏକ ଫିଆଟ୍ କାର୍ ଶ୍ମଶାନ ନିକଟସ୍ଥ ରାସ୍ତାରେ ଅଟକିଲା। ତହିଁ ମଧ୍ୟରୁ ସୁଟ୍ ବୁଟ୍ ପିନ୍ଧା ହାକିମ ଗଗନ ବାବୁ ଓ ତା ଆଧୁନିକା ସ୍ତ୍ରୀ ମନିକା ଓହ୍ଲାଇଲେ। ମାଆର ମୃତ୍ୟୁ ଖବର ଶୁଣି ମଧ୍ୟ ସୁନ୍ଦର ଓ ଚାକଚକ୍ୟ ଭରା ଡ୍ରେସରେ ଆସିବାକୁ କୁଣ୍ଠାବୋଧ କରି ନଥିଲେ ସେ ଦୁହେଁ। ଯାଇ ଚିତା ପାଖରେ ଠିଆ ହେଲେ। 

ମୁହଁ ରେ ନଥିଲା ସାମାନ୍ୟ ମଧ୍ୟ ଦୁଃଖ ର ଛାୟା। ମାଆର ଚିତାରେ ଅଗ୍ନୀ ସଂଯୋଗ ପାଇଁ ପ୍ରସ୍ତୁତ ହେଉଥିଲା ଗଗନ। ଏତିକି ସମୟରେ ଆଉ ଗୋଟାଏ ଫିଆଟ୍ କାର୍ ଆସି ବ୍ରେକ୍ କଲା ଗଗନର କାର୍ ପାଖରେ। 

      ବସନ୍ତ ବାବୁଙ୍କ ପୁଅ ସୁକାନ୍ତ ହଠାତ୍ ଓହ୍ଲାଇ ବଡ଼୍ ପାଟିରେ ଚିତ୍କାର କଲେ,"ସାବଧାନ ଗଗନ୍,ଚୁପ୍ ହୋଇ ଠିଆ ହୋଇଯା ସେଠାରେ।"ସମସ୍ତେ ସୁକାନ୍ତ କୁ ଅନାଇ ରହିଲେ ପ୍ରଶ୍ନ ବାଚୀ ନୟନରେ। 
          ସୁକାନ୍ତ ଆସି କହିଲେ, "ଗଗନ, କୁଳାଙ୍ଗାର ପୁତ୍ର। କେଉଁ ମୁହଁ ନେଇ ଆସିଛୁ ଏଠାକୁ। ମରୁଆ ମାଉସୀର ଶବ ଛୁଇଁ ପାରିବୁ ନାହିଁ କି ମୁଖାଗ୍ନୀ ମଧ୍ୟ ଦେଇ ପାରିବୁ ନାହିଁ।ଯେଉଁ ମାଆ ତୋର ଛୋଟ ବେଳୁ ପର ଘରେ ଖଟି, ପନିପରିବା ବିକ୍ରି କରି ତୋତେ ଏତେ ବଡ଼ କଲା। ପାଠ ପଢ଼େଇ ହାକିମ କଲା, ତୁ ତାକୁ ଭୁଲି ଗଲୁ ?ତା ମୃତ୍ୟୁ ପାଇଁ ତୁ ସମ୍ପୂର୍ଣ୍ଣ ଦାୟୀ। ତୁ ହିଁ ତାକୁ ଜୀବନରେ ମାରି ଦେଇଛୁରେ କୁଳାଙ୍ଗାର। 
           ଏ ମାଉସୀ ଆମ ଘରେ କାମ କରୁଥିଲା। ମୁଁ ତାକୁ ମାଆ ଦୃଷ୍ଟି ରେ ଦେଖି ଆସିଛି। ତୋରି ପରି ତା କୋଳରେ ବଢ଼ିଛି,ଖେଳିଛି ମୁଁ। ସେ ମୋର କେତେ ଯତ୍ନ ନେଇଛି। ସେ ମଧ୍ୟ ମୋର ମାଆ ସଦୃଶ। ମୁଁ ଏଠାରେ ଘୋଷଣା କରୁଛି, ତାର ମୁଖାଗ୍ନୀ  ମୁଁ ଦେବି ଏବଂ ତାର ଅନ୍ତେଷ୍ଟି କ୍ରୀୟା ମଧ୍ୟ ମୁଁ କରିବି।"
            "ତୁ ଏତେ ବଡ଼ ହାକିମ ଟେ। ଏହି ମଳି ମୁଣ୍ଡିଆ ମାଆକୁ ତୋ ନିକଟକୁ ନେଇଥିଲେ ତୋର ପ୍ରେଷ୍ଟିଜ୍ ଚାଲି ଯାଇଥାନ୍ତା। ଏବେ ତୁ ତାର ମୁଖାଗ୍ନୀ ଦେଲେ ତୋର ପ୍ରେଷ୍ଟିଜ୍ ରେ ଆଞ୍ଚ୍ ଆସିବ ନାହିଁ ?ଚାଲିଯା ଏଠାରୁ ନିଲ୍ଲଜ। କେଉଁ ଲାଜରେ ତୋର ଅପ୍ସରା ସ୍ତ୍ରୀ କୁ ଧରି ଆସିଛୁ ଏଠାକୁ। ତୋ ପରି କୁଳାଙ୍ଗାର ପୁଅ ଯଦି ଏହି ମମତାମୟୀ ମାଆର ମୁଖାଗ୍ନୀ ଦିଏ, ତାର ଆତ୍ମା କେବେ ଶାନ୍ତି ପାଇବ ନାହିଁ। ଶୀଘ୍ର ଚାଲିଯା ଏଠାରୁ, ନଚେତ୍ ଧକ୍କା ଦେଇ ବାହାର କରିଦେବାକୁ ବାଧ୍ୟ ହେବି"।
         ସୁକାନ୍ତ ର କଥା ଶୁଣି ସମସ୍ତ ଗ୍ରାମବାସୀ ବାହା ବାହା କଲେ।"ସୁକାନ୍ତ ବାବୁ ଠିକ୍ କହିଛନ୍ତି। ଏ କୁଳାଙ୍ଗାର ପୁତ୍ର ର ଅଧିକାର ନାହିଁ, ତା ମାଆର ସତ୍କାର କରିବା ପାଇଁ। ଆଗେଇ ଯାଅ ସୁକାନ୍ତ ବାବୁ, ଆମେ ତୁମ ସହିତ ଅଛୁ।"
         ଗଗନ ଲଜ୍ଜାରେ ମୁହଁ ଟେକି ପାରୁ ନଥାଏ। ଯେଉଁ ଭୁଲ୍ କରିଛି, ସେ ଭୁଲ୍ ର କ୍ଷମା ନାହିଁ। ଚୁପଚାପ୍ ସ୍ତ୍ରୀ କୁ ଧରି ଫେରି ଯାଉଥିଲା ସେ। ସୁକାନ୍ତ ମାଉସୀ ମରୁଆକୁ ମୁଖାଗ୍ନୀ ଦେଇ ପୁତ୍ର ର କାର୍ଯ୍ୟ ତୁଲାଉ ଥିଲେ। ସମସ୍ତ ଙ୍କ ପାଟିରୁ ଶୁଭୁଥିଲା କୁଳାଙ୍ଗାର ପୁତ୍ରକୁ ଠିକ୍ ଶିକ୍ଷା ଦେଇଛ ସୁକାନ୍ତ ବାବୁ।

Comments