କ୍ଷମାର ପରିଣାମ - କ୍ଷୁଦ୍ର ଗଳ୍ପ ନରୋତ୍ତମା ପାତ୍ର
କ୍ଷମା ର ପରିଣାମ (କ୍ଷୁଦ୍ରଗଳ୍ପ)
**************ଶ୍ରୀ ନରୋତ୍ତମ ପାତ୍ର ****************
ପତିଙ୍କର ସମାଧୀ ପୀଠ ନିକଟରେ ଏକୁଟିଆ ବସି ନୟନରୁ ଲୁହ ଗଡ଼ାଉଥିଲେ ସୁମିତ୍ରା ଦେବୀ। କୋହ ଉପରେ କୋହ ଲହଡ଼ି ମାରୁଥିଲା ହୃଦୟ ମଧ୍ୟରୁ। ଗୁଣୁ ଗୁଣୁ ହେଇ କାନ୍ଦି ନିଜର ସ୍ୱର୍ଗବାସୀ ପତିଙ୍କୁ ଆପଣାର ଦୁଃଖ ଜଣାଉଥିଲେ। "ତୁମେ ଏକୁଟିଆ ମୋତେ ଛାଡ଼ି ଚାଲିଗଲ କାହିଁକି ?ସାଙ୍ଗରେ ନେଲ ନାହିଁ ମୋତେ। କେଡ଼େ ସ୍ବାର୍ଥପର ତୁମେ, ମୋତେ ନ ନେଇ ଏକୁଟିଆ ଚାଲିଗଲ ।ବିନା ଅପରାଧ, ନିର୍ଦ୍ଦୋଷ ଥାଇ ମଧ୍ୟ ଆଜି ମୋତେ କଳିହୁଡ଼ି ବୋହୂ ଅନୀତା ନିକଟରୁ, ଅଯଥା ଗାଳି ଓ ଗଞ୍ଜଣା ଶୁଣିବାକୁ ପଡ଼ୁଛି। ଚୋରୀ ନକରି ମଧ୍ୟ ସେ ଆଜି ମୋତେ ଚୋରଣୀ ଆଖ୍ୟା ଦେଉଛି" କହି ଛୋଟ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଚାଲିଥିଲେ ସେ।
ହଠାତ୍ ମାଆ ଡାକରେ ଚମକି ପଡ଼ି ଦେଖିଲେ, ପଛପଟେ ଠିଆ ହୋଇଛନ୍ତି ତାଙ୍କ ଏକମାତ୍ର ପୁତ୍ର ନରେନ୍ଦ୍ର।କେତେବେଳୁ ସେ ଆସି ତାଙ୍କ ମାଆଙ୍କ କାନ୍ଦଣା କଥା ଶୁଣୁଥିଲେ
ତାଙ୍କର ଅଜାଣତରେ। "କଣ ହୋଇଛି ମାଆ, ସତକରି କୁହ, ଏପାଖରେ ବସି କାନ୍ଦୁଛ କାହିକି ?ପ୍ରଶ୍ନ କଲେ ସେ। କିଛି ନାହିଁ ପୁଅ କହି ଚକ୍ଷୁରୁ ଲୁହ ପୋଛିନେଇ, କଥାଟାକୁ ଲୁଚାଇବାକୁ ଚେଷ୍ଟା କଲେ ସୁମିତ୍ରା ଦେବୀ।
ବୁଝାସୁଝା କରି ମାଆଙ୍କୁ ଗୃହକୁ ନେଇ ଆସିଲେ ନରେନ୍ଦ୍ର। ପତ୍ନୀ କୁ ଏହାର କାରଣ ପଚାରିଲେ। କଳିହୁଡ଼ି ସ୍ତ୍ରୀ ଅନୀତା ସଙ୍ଗେ ସଙ୍ଗେ ବଡ଼ ପାଟିରେ ରଡ଼, ଗାଳିକରି ଶାଶୁଙ୍କ ବିରୁଦ୍ଧରେ ବଖାଣି ଚାଲିଲା। "ତୁମ ମାଆ ଏକ ନମ୍ବର ଚୋରଣୀ।ତମେ ତ ଦେଖିଥିଲ, ଗତକାଲି ମୋର ମଙ୍ଗଳ ସୂତ୍ରକୁ କାଢ଼ି, କାନ୍ଥର ଏହି ଖୁଣ୍ଟିରେ ଝୁଲେଇ ଦେଇଥିଲି। ତାହା ଗଲା କୁଆଡ଼େ ?ଘରେ ତୁମେ, ମୁଁ ଆଉ ସେ ତିନି ଜଣ ଅଛୁଁ। ତୁମେତ ସ୍କୁଲକୁ ଯାଇଥିଲ।ତାହେଲେ କିଏ ନେଇଛି ତାକୁ। ମୁଁ ଘରଟା ସାରା ଖୋଜି ସାରିଲିଣି। କେଉଁଠି ମଧ୍ୟ ପାଇଲି ନାହିଁ। ତୁମ ମାଆ ଯଦି ନନେଇଛି ତ ନେଲା କିଏ ?ଏ କଥା ପଚାରିବାକୁ ବୁଢ଼ି ମୋତେ ଗାଳିଗୁଲଜ କରି, ଯାଇ କାନ୍ଦୁଛି ତାର ଗୁଣବନ୍ତ ସ୍ୱାମୀ ସମାଧି ପାଖରେ। ଚୋରି କରିବ ଚୋରଣୀ, ପୁଣି ପଚାରିଲେ ନିର୍ଦ୍ଦୋଷୀଙ୍କ ଭଳି ଚକ୍ଷୁରୁ ରସ ଗୁଡ଼ାକ ଗଳେଇ ପକାଉଛି। ସତେ ଯେମିତି ଚୋରି କରିନାହିଁ। "
ଏକା ଥରକେ ଅବିରାମ ଭାବରେ ଝାଡ଼ି ଦେଇଗଲା ଏତେ କଥା ଶାଶୁଙ୍କ ବିରୁଦ୍ଧରେ।
ନରେନ୍ଦ୍ର ଙ୍କୁ ତା କଳିହୁଡ଼ି ସ୍ତ୍ରୀ ର ଦୁର୍ଗୁଣ ଅଜଣା ନଥିଲା।
"ତୁମେ ଠିକ୍ ଜାଣିଛଯେ, ମୋ ମାଆ ତୁମର ମଙ୍ଗଳ ସୂତ୍ରକୁ ଚୋରି କରିଛନ୍ତି ?ତାର ପ୍ରମାଣ ଦେଇ ପାରିବ"?ଅନୀତା କହିଲା, "ପ୍ରମାଣ ର ଆବଶ୍ୟକତା ନାହିଁ। ଦେଖୁନ ତା ମୁହଁକୁ, ଚୋର ମୁହଁ କେମିତି ଟାଣ। ଚୋରି କରି ଲାଜ ଟିକେ ମଧ୍ୟ ଲାଗୁନି। ନ ହେଲେ ଚୁପ୍ ରହି ଆଖିରୁ ରସ ଗୁଡ଼ାକ ବାହାର କରୁଥାନ୍ତା କାହିଁକି ?
ନରେନ୍ଦ୍ର କହିଲେ," ଠିକ୍ ଅଛି ଆପେ ଅସଲ କଥାଟି ଜଣା ପଡ଼ିଯିବ। ପ୍ରକୃତରେ ଚୋରଣୀ କିଏ ?ମୁଁ ତାର ବ୍ୟବସ୍ଥା କରିବି। ଯିଏ ଚୋରୀ କରିଛି ସଜା ଭୋଗିବାକୁ ତୟାର୍ ରହିଥାଅ"।
ତା ଆର ଦିନ ରବିବାର ଛୁଟି। ନରେନ୍ଦ୍ର ଥିଲେ ଘରେ। ସକାଳ ଆଠ ଘଣ୍ଟା ସମୟରେ ପୋଖରୀକୁ ଗାଧୋଇବା ପାଇଁ ଗଲା ଅନୀତା। ତାର ଅନୁପସ୍ଥିତ ର ସୁଯୋଗ ନେଇ ନରେନ୍ଦ୍ର ମାଆକୁ ପଚାରିଲେ, "ସତ କୁହ ମାଆ ଘଟଣାଟି କଣ ?ମୁଁ କେବେ ମଧ୍ୟ ବିଶ୍ୱାସ କରିବି ନାହିଁ ଯେ, ତମେ ଏ କାମ କରିଛ ବୋଲି। ତଥାପି ସେ କାହିଁକି ଚୋରଣୀ ଆଖ୍ୟା ଦେଇ, ତୁମକୁ ଏତେ ଗାଳି କରୁଛି।"
ମାଆ କହିଲେ, "ଵାବୁରେ ତୁ ଆଗ ମୋତେ କ୍ଷମା କରିଦେ।କାରଣ ତୋର ଶତ ବାରଣ ସତ୍ତ୍ବେ, ଜବରଦସ୍ତି ମୋ ଜିଦ୍ ରେ ଅଟଳ ରହି, ତୋତେ ଏ କଳିହୁଡ଼ି ,ଅଲକ୍ଷ୍ମା ସହିତ ବିବାହ କରିଦେଲି।ତୁ ମୋ ଜିଦ୍ ସାମ୍ନାରେ ହାର୍ ମାନି, ମୋତେ ଦୁଃଖ ନଦେବା ପାଇଁ ତୁ ରାଜି ହେଲୁ। ଆଜି ମୁଁ ମୋର ଭୁଲ୍ ବୁଝି ପାରୁଛି। କାରଣ ତା ପାଇଁ ଆମ ସୁନାର ସଂସାର ଚୁନା ହେବାକୁ ବସିଛି"।
ତୁ ଯେତେବେଳେ ସ୍କୁଲ୍ କୁ ଯାଉ, ଅନୀତା ତୋ ଅନୁପସ୍ଥିତି ର ସୁଯୋଗ ନେଇ ଯାହା କର୍ମ କରେ, ତାହା ମୁଁ ତୋତେ କହି ପାରିବି ନାହିଁ। ଯଦି କହିବି ଏ ସଂସାର ଦୁଇ ଦିନରେ ଛାରଖାର ହୋଇଯିବ। ମୁଁ ଦିନେ ତାର କୁକର୍ମ ଦେଖି ଚେତାବନୀ ଦେଲି ବୋଲି, ମୋତେ ତା ଶତ୍ରୁ ଭାବି ନେଇଛି। ତୋ ଚକ୍ଷୁ ସାମନାରେ ମୋତେ ଛୋଟ କରିବାକୁ, ନିଜେ ସେ ଲୁଚେଇ ମୋତେ ଚୋରଣୀ ସଜାଇବାକୁ ବସିଛି। ତୁ ଯଦି ମୋତେ ଭୁଲ ବୁଝିଲୁ ଓ ତୁ ତା ସପକ୍ଷ ନେଲୁ ତା କଥାରେ ପଡ଼ି, ତାହେଲେ ତୋ ସ୍ତ୍ରୀ ର ଯେତେ କୁକର୍ମ ତୋ ନିକଟରେ ମୁଁ କହିଲେ ମଧ୍ୟ,ତୁ ବିଶ୍ୱାସ କରିବୁ ନାହିଁ ଓ ସେ ତାର ଭରପୁର ଫାଏଦା ନେବ। ଜାଣି ପାରୁଥିବୁ ସେ କେମିତି ଯୋଜନା କରିଛି। ସେଥିପାଇଁ ସେ ମୋତେ ଅଯଥାରେ ଗାଳିଗୁଲଜ କରି, ଘରୁ ତଡ଼ିଦିଏ ଓ ତାର ରାଜୁତି କରେ। ମୁଁ ୟା ଘର ତା ଘର ବୁଲି, ତୋ ସ୍କୁଲ୍ ରୁ ଫେରିବା ସମୟ ହେଲାବେଳେ ମୁଁ ଘରକୁ ଫେରେ"।
ମାଆ ଙ୍କ କଥା ଶୁଣି ନରେନ୍ଦ୍ର ର ମୁଣ୍ଡ ଘୁରିଗଲା। ତାଙ୍କ କଥାକୁ ଅବିଶ୍ବାସ କରିବାର କିଛି କାରଣ ନଥିଲା ତାଙ୍କ ପାଖରେ।ରଣଚଣ୍ଡୀ ସ୍ତ୍ରୀ ଯିଏକି ବିନା କାରଣରେ ଶାଶୁକୁ ଏପରିକି ସ୍ୱାମୀକୁ ଅସଭ୍ୟ ଭାଷାରେ ଗାଳି କରିପାରେ, ସେ ଯେ କୌଣସି ହୀନ କର୍ମ ମଧ୍ୟ କରି ପାରିବ। ଏଥିରେ ଦ୍ୱିମତ ହେବାର ନାହିଁ।
ମାଆଙ୍କ କଥାନୁସାରେ ସେ ଚାବିପେନ୍ଥା ଖୋଜି, କପଡ଼ା ବାକ୍ସ ଖୋଲି ଶାଢ଼ି ଗୁଡ଼ିକ ଗୋଟିଏ ଗୋଟିଏ କରି ଯାଞ୍ଚ କଲେ। ଗୋଟିଏ ଶାଢ଼ୀ ଭିତରୁ ହଜି ଯାଇଥିବା ମଙ୍ଗଳ ସୂତ୍ରକୁ ଆବିଷ୍କାର କଲେ ସେ। ଶାଢ଼ୀ ଫୋଲଡ଼ିଙ୍ଗ ଭିତରେ ତାକୁ ଏମିତି ଲୁଚା ଯାଇଥିଲା ଯେ, ଶାଢ଼ୀ ଗୁଢ଼ିକ କାଢ଼ିଲେ ମଧ୍ୟ କେହି ଜାଣି ପାରିବ ନାହିଁ।
ମାଆ କହିଲେ, "କାଠ ବାକ୍ସ ଖୁଲ୍, ଏଥିରୁ ଆହୁରି ରହସ୍ୟ ଜାଣି ପାରିବୁ"।ନରେନ୍ଦ୍ର ବାକ୍ସଟି ଖୋଲି ସେଥିରେ ଥିବା ସମସ୍ତ ବାସନ ସାମଗ୍ରୀ କୁ ଗୋଟି ଗୋଟି କରି ଖୋଲି ଯାଞ୍ଚ କଲେ। ଚାରିଟି ଗ୍ଲାସ୍ ଗେଞ୍ଜାଗେଞ୍ଜି କରି ରଖା ଯାଇଥିବା ଗ୍ଲାସ୍ ଗୁଡ଼ିକୁ ଗୋଟି ଗୋଟି କରି କାଢ଼ିଲେ। ମଝି ଗ୍ଲାସ୍ ଭିତରୁ ତିନି ହଜାର ଟଙ୍କା ବାହାରିଲା। ନିଜ ସ୍ତ୍ରୀ ର ହାତ ସଫେଇ କାର୍ଯ୍ୟ ବିବାହ ଦିନ ହିଁ ଜାଣିଥିଲେ ନରେନ୍ଦ୍ର। ଏବେ ଏହା ଦେଖି କିଛି ଆଶ୍ଚର୍ଯ୍ୟ ହେବାର ନଥିଲା ତାଙ୍କୁ। କିନ୍ତୁ ଅଯଥାରେ ଶାଶୁକୁ ଚୋରଣୀ ସଜାଇ, ଗାଳିଗୁଲଜ କରିବାର ଯୋଜନାକୁ ସହ୍ୟ କରି ପାରିଲେ ନାହିଁ ସେ।
କିଛି ସମୟ ପରେ ପୋଖରୀରୁ ଗାଧୋଇ ସାରି କପଡ଼ା ବାଲଟି ହାତରେ ଫେରିଲା ଅନୀତା। ତାର ପ୍ରସାଧନ ସମାପ୍ତି ପରେ, ନରେନ୍ଦ୍ର ମଙ୍ଗଳ ସୂତ୍ର ଓ ତିନି ହଜାର ଟଙ୍କା ଦେଖାଇ କହିଲେ, "ଏହା ମୁଁ ମାଆଙ୍କ ନିକଟରୁ ଜବତ୍ କରିଛି"।
ଏତିକି କଥା ଶୁଣୁ ଶୁଣୁ ଅନୀତାର ମୁହଁର ରଙ୍ଗ ବଦଳି ଗଲା। ତାର ଅସଲ ପରିଚୟ ଯେ ଆଜି ତା ସ୍ୱାମୀ ଜାଣି ପାରିଛନ୍ତି ଜାଣି, ଲାଜ ଲାଗିବ କଣ ରାଗରେ ପାଚି ଲାଲ୍ ହେଇଗଲା ତାର ମୁଖ। ବଡ଼ ପାଟିକରି, ଗାଳିକରି ନିଜ ଗାଲରେ ନିଜ ହାତ ଦ୍ୱାରା ଅସଂଖ୍ୟ ଚାପୁଡ଼ା କସିଦେଲା ଓ ଆତ୍ମହତ୍ୟା କରିବାକୁ କୂପ କୁ ଦୌଡ଼ିଲା। ଶାଶୁ ତାକୁ ଧରିନେଇ ଓଲଟା କ୍ଷମା ମାଗିଲେ ଓ ମୋର ଭୁଲ୍ ହୋଇ ଯାଇଛି କହିଲେ। ତୁହି ହିଁ ପ୍ରକୃତ ରେ ସଚ୍ଚୋଟ ଅଛୁ। ମୁଁ ସିନା ଚୋରି କରିଥିଲି। ତଥାପି ତାର ରାଗ ଶାନ୍ତ କରିବାକୁ ଶାଶୁ ଓ ସ୍ୱାମୀ କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅସଭ୍ୟ ଭାଷାରେ ଗାଳି କଲା।
ନରେନ୍ଦ୍ର ଆଉ ସମ୍ଭାଳିବାର ଅବସ୍ଥା ରେ ନଥିଲେ। ଏପରି ବଦ୍ ଚରିତ୍ର, କଳିହୁଡ଼ି ଓ ଚୋରଣୀ ସ୍ତ୍ରୀ ସହିତ, କେମିତି ତାଙ୍କ ଆଗାମୀ ଜୀବନ କଟାଇବେ ଚିନ୍ତାରେ ଘାରି ହେଲେ। ଶେଷରେ ନିଷ୍ପତ୍ତି ନେଇ ଶ୍ବଶୁରଙ୍କ ନିକଟକୁ ପତ୍ର ଲେଖିଲେ। ତୁମ ଝିଅ ର ଦେହ ଭଲ ନାହିଁ ଟିକେ ଦେଖିଆସ। ପତ୍ର ପାଇ ଅନୀତାର ପିତାମାତା ଓ ବଡ଼ ଭାଇ ଆସି ପହଞ୍ଚିଲେ।
ସ୍ତ୍ରୀ ର ସବୁ କୁକିର୍ତ୍ତୀ ବର୍ଣ୍ଣନା କରିଗଲେ ନରେନ୍ଦ୍ର। "ଏମିତି ସ୍ତ୍ରୀ ସହିତ ମୁଁ ଓ ମୋ ମାଆ କେମିତି ଚଳିବୁ ତୁମେ ବିଚାର କର। ଦୟାକରି ତୁମେ ତୁମ ଝିଅ କୁ ନେଇଯାଅ। ଆମ ଘର ତ ଧ୍ୱଂସ ହୋଇ ସାରିଛି। ଏ ଯଦି ଥିବ ଅକାଳରେ ଆମ ଦୁହିଁଙ୍କ ଜୀବନ ମଧ୍ୟ ଚାଲିଯିବ, ଲୋକ ଲଜ୍ଜା ଡରେ"।
ଏତିକି ଶୁଣି ନରେନ୍ଦ୍ର ର ଶ୍ବଶୁର ନରେନ୍ଦ୍ର ଙ୍କ ପାଦ ଧରି ଲମ୍ବ ହେଇ ପଡ଼ିଗଲେ ତଳେ। କାନ୍ଦି ଉଠିଲେ। କହିଲେ, "ତୁମେ ଯଦି ମୋ ଝିଅ କୁ ଛାଡ଼ିଦେବ, ମୁଁ ଶିକ୍ଷିତ ଲୋକ ହୋଇ ଲଜ୍ଜାରେ କାହା ନିକଟରେ ମୁହଁ ଦେଖେଇ ପାରିବି ନାହିଁ। ମୋର ଚାରିଟା ଅବିବାହିତ ପୁଅ ଝିଅ ଅଛନ୍ତି। ତାଙ୍କର ଆଉ କାହା ସହିତ ସମ୍ବନ୍ଧ ହୋଇ ପାରିବ ନାହିଁ। ମୋ ଗୃହକୁ କେହି ବନ୍ଧୁ ମଧ୍ୟ ଆସିବେ ନାହିଁ। ମୁଁ ଶେଷରେ ଏ ଝିଅଟି ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି। ଏ ଦୁଶ୍ଚରିତ୍ରା ପାଇଁ ତୁମେ ମୋତେ କ୍ଷମା ଦିଅ। ମୋତେ କଥା ଦିଅ ତୁମେ ମୋ ଝିଅକୁ ଛାଡ଼ିବ ନାହିଁ। ତୁମ ପାଦ ଧରି ମୁଁ କ୍ଷମା ମାଗୁଛି"। ଜୋରରେ ପାଦ ଜାବୁଡ଼ି ଧରି କାନ୍ଦି ଉଠିଲେ ଶ୍ବଶୁର।
ନରେନ୍ଦ୍ର ର ପ୍ରାଣ ମଧ୍ୟ କାନ୍ଦି ଉଠିଲା, ପିତୃ ସମାନ ଶ୍ବଶୁରଙ୍କ ଏ ଅସହାୟ ଅବସ୍ଥା ଦେଖି। ସେ ତାଙ୍କୁ ତଳୁ ଉଠାଇବାକୁ ଚେଷ୍ଟା କଲେ। କିନ୍ତୁ ଶ୍ବଶୁର କହିଲେ, "ତୁମେ ମୋ କଥା ରଖି ମୋତେ କ୍ଷମା ନଦେଲା ପର୍ଯ୍ୟନ୍ତ, ଏହିପରି ଭାବରେ ତୁମ ପାଦଧରି ପଡ଼ି ରହିଥିବି। ବରଂ ଜୀବନ ଦେଇଦେବି ଉଠିବି ନାହିଁ"।
ନରେନ୍ଦ୍ର ହତବାକ୍ ହୋଇଗଲେ। ଶ୍ବଶୁରଙ୍କ ଏ ଅବସ୍ଥା ଆଉ ଦେଖିବା ସ୍ଥିତିରେ ସେ ନଥିଲେ। ମହାଦେବ ଯେପରି ଜଗତର ହିତ ଦୃଷ୍ଟିରୁ ଗରଳ ପାନ କଲେ, ସେ ମଧ୍ଯ ତାଙ୍କ ଶ୍ବଶୁରଙ୍କ ପରିବାରର ହିତ ଦୃଷ୍ଟିରୁ ଗରଳ ପାନ କରିବାକୁ ନିଷ୍ପତ୍ତି ନେଇଗଲେ। "ଠିକ୍ ଅଛି ସବୁ ଦୋଷକୁ କ୍ଷମା କରି, ତୁମ ଝିଅ କୁ ନ ଛାଡ଼ିବାକୁ କଥା ଦେଉଛି। ଏହା ମୋର ସତ୍ୟ କଥା। ଶ୍ବଶୁରଙ୍କ ବିଶ୍ୱାସ ଥିଲା ଶିକ୍ଷିତ ଓ ନିଷ୍କପଟ ଜ୍ୱାଇଁ ଙ୍କ ଉପରେ। ସେ ନରେନ୍ଦ୍ର ଙ୍କ ପାଦ ଛାଡି ଉଠିଲେ। ଝିଅକୁ ଧିକ୍କାର କରି ଶାଶୁ ଓ ସ୍ୱାମୀଙ୍କୁ କ୍ଷମା ମାଗିବାକୁ କହିଲେ। କଳିହୁଡ଼ି, ନିର୍ଲ୍ଲଜୀ ଅନୀତା, ଅନିଚ୍ଛା ସତ୍ତ୍ୱେ ଗର ଗର ହୋଇ ଦୁହିଁଙ୍କ ନିକଟରେ କ୍ଷମା ମାଗିଲା।
ଅନିତା ର ବାପା କହିଲେ, "ତଥାପି ଆସନ୍ତା କାଲି ସକାଳେ, ଝିଅ ଅନୀତା କୁ ଦଶ, ପନ୍ଦର ଦିନ ପାଇଁ ଘରକୁ ନେଇ ଯିବି। ଶାଶୁ ଘରେ କିମିତି ଚଳିବାକୁ ହୁଏ, ଏ ବିଷୟରେ ତାକୁ ବୁଝାସୁଝା କରି ଆଣି ଛାଡ଼ି ଦେବି"।ଏଥିରେ ସମସ୍ତ ଙ୍କ ସହମତି ହେଲା।
ଖିଆ ପିଆ ସାରି ରାତ୍ରି ରେ ଶୋଇଲେ ସମସ୍ତେ। ପାହାନ୍ତିଆରୁ ଉଠି ନରେନ୍ଦ୍ର ଦେଖିଲେ, ତାଙ୍କ ମାଆ ଶୋଇଥିବା ଖଟ ଖାଲିଅଛି। ସେ ଏପଟେ ସେପଟେ ମାଆ ମାଆ ଡାକି ଖୋଜି ବୁଲିଲେ। ତାଙ୍କ ମନରେ ଆଶଙ୍କା ଜାତ ହେଲାଯେ, ଏହି ନିଷ୍ପତ୍ତି ରେ ସେ ସହମତି ନହୋଇ ଘର ଛାଡ଼ି ଚାଲି ଯାଇଥିବେ। ସେ ତାଙ୍କ ଶାଳକ ରମେଶକୁ ଉଠାଇ, ଏକଥା ଜଣାଇଲେ ଓ ବାଇକ୍ ନେଇ ଦୁହେଁ ମୂଖ୍ୟ ରାସ୍ତା ରେ ଗଲେ। ପ୍ରାୟ ଦୁଇ କିଲୋମିଟର ଭିତରେ ସତକୁ ସତ ସେମାନେ ଭେଟିଲେ ସୁମିତ୍ରା ଦେବୀଙ୍କୁ। ସେ କିଛି ଶାଢ଼ୀପଟା ଧରି ଚାଲି ଯାଉଥିଲେ କୁଆଡ଼େ। ଏହାର କାରଣ ପଚାରିବାରୁ ସେ କହିଲେ, "ମୁଁ ଗୋଟିଏ ସର୍ତ୍ତରେ ଘରକୁ ଫେରିବି। ନହେଲେ ଫେରିବି ନାହିଁ। ରମେଶକୁ କହିଲେ, "ଯେତେ ଅପରାଧ କରିଥିଲେ ମଧ୍ୟ, ତୁମେ ମୋ ବୋହୂକୁ ତୁମ ଘରକୁ ନେଇ ପାରିବ ନାହିଁ। ମୁଁ ତାକୁ କ୍ଷମା କରି ସାରିଛି। ନ ନେବା ପାଇଁ କଥା ଦେଲେହିଁ, ମୁଁ ଘରକୁ ଫେରିବି"।
ରମେଶ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ଏପରି ଶାଶୁଙ୍କୁ ତାଙ୍କ ଭଉଣୀ, ଦୋଷ ଦେଉଛି ଓ ଗାଳିଗୁଲଜ କରୁଛି।
ସେ କହିଲେ, "ତୁମେ ଘରକୁ ଫେରିଚାଲ, ତୁମ କଥା ରହିବ। ତୁମ ବୋହୂକୁ ଆମେ ନେବୁ ନାହିଁ। ତୁମ ପାଖରେ ହିଁ ରହିବ। ତୁମକୁ ଓ ତୁମ କ୍ଷମା ଗୁଣକୁ ସମ୍ମାନ ଜଣାଉଛି ମୁଁ "।
ତାଙ୍କୁ ବାଇକ୍ ରେ ବସାଇ ଫେରାଇ ଆଣିଲେ ଦୁହେଁ। ଏ କଥା ଶୁଣି ଅନୀତାର ପିତାମାତା ଦୁହେଁ ଅବାକ୍ ହୋଇଗଲେ। ଜଣେ କଳିହୁଡ଼ି ଓ ଚରିତ୍ରହୀନ ବୋହୂ ପାଇଁ ମଧ୍ୟ ଶାଶୁ ମନରେ ସାମାନ୍ୟ ଘୃଣା ଭାବ ନାହିଁ। ଏତେ ଅପରାଧ ସତ୍ତ୍ୱେ ବୋହୂ ପ୍ରତି କ୍ଷମା ଭରି ରହିଛି ତାଙ୍କ ହୃଦୟରେ। ଧନ୍ୟ ତୁମେ ଶାଶୁ। ତୁମପରି ଶାଶୁ ସମସ୍ତ ବୋହୂଙ୍କୁ ମିଳିଲେ, ଏ ଦୁନିଆଁ ସ୍ୱର୍ଗରେ ପରିଣତ ହୋଇଯିବ। ଆମ ଭାଗ୍ୟ ବଳରେ ତୁମ ପରି ସମୁଦୁଣୀ ଓ ନରେନ୍ଦ୍ର ଭଳି ଜ୍ୱାଇଁ ପାଇଛୁ। ଧନ୍ୟ ତୁମେ ଦୁହେଁ "।
ନିଜ ଝିଅକୁ ଅନେକ ଉପଦେଶ ଦେଇ, ବିଦାୟ ନେଇ ଫେରିଗଲେ ସେମାନେ। ଅଙ୍ଗାର ଶତ ଧୌତେନ ମଳିନତ୍ୱ ନ ଯାୟତେ। କୁକୁର ଲାଙ୍ଗୁଳ କେବେ ସିଧା ହେବନା କାଳ ନାଗୁଣୀ ତାର ଦଂଶନ ପ୍ରକୃତି ଛାଡ଼ିବ।
କିଛି ଦିନ ପରେ ଅନୀତା ପ୍ରତିଶୋଧ ପରାୟଣା ହୋଇ ଶାଶୁ ସୁମିତ୍ରା ଦେବୀଙ୍କ ଉପରେ ଆରମ୍ଭ କରି ଦେଲା ଅକଥନୀୟ ଅତ୍ୟାଚାର। ମାଡ଼ ମାରିବାକୁ ମଧ୍ୟ ପଛାଇଲା ନାହିଁ। ବାସି ଓ ଅଇଁଠା ଖାଦ୍ୟ ଦେଇ ଶୁଖାଇ ଶୁଖାଇ ମାରିଦେଲା ତାଙ୍କୁ। ସ୍ୱମୀକୁ କରିଦେଲା ମାନସିକ ରୋଗାକ୍ରାନ୍ତ। ନଣନ୍ଦ, ଦେଢ଼ଶାଶୁଙ୍କୁ ପୁରେଇ ଦେଲାନି ଘରେ। କଥା କଥାକେ ଅସଭ୍ୟ ଭାଷାରେ ସ୍ୱାମୀକୁ ଗାଳି ଗୁଲଜ କଲା। ବର୍ଷ ବର୍ଷ ଧରି ଆପଣାର ଭାଗ୍ୟକୁ ନିନ୍ଦି ପଡ଼ି ରହିଛି ନରେନ୍ଦ୍ର। ଆଖିରୁ ଲୁହ ଗଡ଼ାଇ, ମୃତ୍ୟୁ ସହିତ ସଂଗ୍ରାମ କରି। ନିଜ ସ୍ୱାର୍ଥ ପୁରଣ ହେଲା ପରେ, ନା ତାଙ୍କ ଶ୍ୱଶୁର ଧୃତରାଷ୍ଟ୍ରଙ୍କ ଦେଖା ମିଳୁଛି ନା ଶାଶୁ ମନ୍ଥରାର ନା ଭଗ୍ନୀ ଘରଭଙ୍ଗା ଶାଳକ ଶକୁନୀର। ଧୃତରାଷ୍ଟ୍ର କି ବୁଝିବ ଅନ୍ୟର ବେଦନା, ଯେତେ ଦୋଷୀ ଥାଉ ପଛେ ନିଜ ପୁତ୍ର କନ୍ୟା।
ଭାଗବତର ଗୋଟିଏ ପଦ ମନେପଡ଼େ ସବୁ ସମୟରେ ନରେନ୍ଦ୍ର ର। ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ। ନିଜ ଶ୍ବଶୁରଙ୍କ ପରିବାରକୁ ବଞ୍ଚାଇବାକୁ ଯାଇ ସେ ଏବଂ ତାଙ୍କ ମାଆ ଯେଉଁ କ୍ଷମା ପ୍ରଦାନ କରିଗଲେ ଓ ନିଜେ ବିଷ ପାନ କଲେ, କିଏ ବୁଝୁଛି ଆଜିକାଲି କ୍ଷମାର ମହତ୍ତ୍ୱ।

Comments
Post a Comment